ରାତ୍ରିର ବିଳାପ
ଅନ୍ଧାରରେ ନିଶା ଗର୍ଜନ ସହିତ
ତୁହାକୁ ତୁହା ପବନ
ପୁଣି କେବେ ଅସରାଏ ବର୍ଷା ଝରି
ଦୋହଲାଏ ତନ ମନ ।
ଶ୍ୱାନ-ଶୃଗାଳ ବୁକୁପୁଟା ଚିକ୍ତାର
ଶୁଭୁଥାଏ ବହୁ ଦୂରେ
ଅଶରୀରୀ ମାନଙ୍କ ମୁହଁ ଦିଶଇ
ବିଜୁଳି ଆଲୋକ ଧାରେ ।
ଦୃଶ୍ୟରେ ପରିବର୍ତ୍ତନ ଘଟିଛି
ସଭ୍ୟତାର ଧାରେ ଧାରେ
ଗାଁ ମୁଣ୍ଡ ବରଗଛ ବା ଶ୍ମଶାନ ର
ସ୍ପଷ୍ଟ ଚିତ୍ର ଆଲୋକରେ ।
ଆଲୋକ ରଶ୍ମୀରେ ଦୂରେଇ ଯାଇଛି
ରାତ୍ରିର ଘନ ଅନ୍ଧାର
ନର ରୂପୀ ଅଶିରୀରୀ ଘୁରି ବୁଲେ
ବୁକୁ ଚିରି ରଜନୀର ।
ମଣିଷର ଚିନ୍ତା ଚେତନାରେ ପ୍ରାୟ
ଅଦ୍ଭୁତ ପରିବର୍ତ୍ତନ
ପରିବର୍ତ୍ତନ ଧାରାରେ ଅଗ୍ରସର
ବ୍ୟସ୍ତ ବହୁଳ ଜୀବନ ।
କାଳ କ୍ରମେ ରାତ୍ରୀ କାଳୀନ ବ୍ୟାପାର
ବୃଦ୍ଧି ଘଟିଛି ଧରାରେ
ସୃଷ୍ଟି ବେଳର ନିୟମ ବି ଉଲ୍ଲଂଘନ
ଅନୁମେୟ ସହଜରେ ।
ମଣିଷର ରାତ୍ରୀ ନିମନ୍ତେ ଯୋଜନା
ପ୍ରସ୍ତୁତ ଓ ରୂପରେଖ
ସ୍ବାର୍ଥ ଅବା ସାମୁହିକ ସୁଖ ଆଶା
ପ୍ରତ୍ୟକ୍ଷ ଅବା ପରୋକ୍ଷ ।
ଅମାନୁଷିକ ଅତ୍ୟାଚାର କ୍ରମଶଃ
ନୀରବି ଯାଏ ଅନ୍ଧାରେ
ସହାୟତାର ହାତ କିଏ ବଢ଼ାଇବ
ଆତତାୟୀ ସମ୍ମୁଖରେ ।
ଆଘାତ ପ୍ରାପ୍ତ ଅର୍ଦ୍ଧ ମୃତ ପ୍ରାଣୀଙ୍କ
ଆକୁଳ ଆର୍ତ୍ତ ଚିକ୍ତାର
ପ୍ରତିଧ୍ଵନି ମାତ୍ର ଶୁଣିବାକୁ ମିଳେ
କେହି ନୁହନ୍ତି କାହାର ।
ଦିନ ରାତ୍ରୀ ସୁଖ ଦୁଃଖ ଭଲ ମନ୍ଦ
ଆଲୋକ ଅନ୍ଧାର ସହ
ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ମଣିଷ
ଜୀବନରେ ଅହରହ ।
ଅନ୍ଧକାର ଆଉ ନୀରବତା ସହ
ରାତ୍ରିର ନିବିଡ ସମ୍ପର୍କ
ବିଶ୍ରାମ ଓ ସ୍ଵପ୍ନ ଅଳଙ୍କାର ଭାବେ
ରାତ୍ରିର ଶୋଭା ବର୍ଦ୍ଧକ ।
ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ
ପ୍ରାୟ ରାତ୍ରୀ ସମୟରେ
ଦୁଃଖ ଓ ଯନ୍ତ୍ରଣା ଉପଶମ ଅର୍ଥେ
ରାତ୍ରୀ ହିଁ ବକ୍ଷ ପ୍ରସାରେ ।
ସମାଜ ବିରୋଧୀ ଘୃଣ୍ୟ କାମ ପ୍ରାୟ
ରାତ୍ରିର ଘନ ଅନ୍ଧାରେ
ମୂକ ସାକ୍ଷୀ ମାତ୍ର ସେଇ କାଳ ରାତ୍ରି
କେବଳ ବିଳାପ କରେ ।