ଡାକ ଆଉ ଶୁଭୁ ନାହିଁ ହିଆ ଓ ଜଟିଆ
ଥରେ ମା ଡାକ ଉଚ୍ଚାରଣ କଲେ ବା ହେଲେ
ଅନ୍ତର ରୁ କିଛି ଆଶ୍ଵସନା ଆସେ
ଯେବେ କଥା କହିବା ଆରମ୍ଭ
ଉଚ୍ଚାରଣ ମା’,ପ୍ରଥମ ଚିହ୍ନା ମୁଁହ ମା’
ଦୁଃଖ କଷ୍ଟ ଆସିଲେ ବି ମା’ଉଚ୍ଚାରଣ
ଚାଲୁ ଚାଲୁ ଝୁଣ୍ଟି ଗଲେ,ମା’
ଦୁଷ୍ଟ ହେଲେ ମାଡ଼,ମାଡ଼ ଖାଇଲେ ବି ,ମା’
ଅଜାଣତରେ କିଏ ମାଡ଼ ଦେଲେ,ମା’
ଅକସ୍ମାତ୍ ବିପଦ,ଦୁର୍ଘଟଣା ସମୟର ବି ମା’
ସ୍ଵତଃ ପ୍ରବୃତ୍ତ ଭାବେ ଅନ୍ତର ରୁ ଆସେ
ମା’,ମା’, ଓ ମା’,ଥରକୁ ଥର ବାରମ୍ବାର ।
ମା ‘ ର ମମତା ହିଁ ଉଚ୍ଚାରିତ ମା ‘ ଶବ୍ଦରେ
ସ୍ନେହ ବୋଳା କଥା ହିଁ ରୂପ ନିଏ , ମା’
ହାତ ରନ୍ଧା ଖାଦ୍ୟର ସୁଆଦ ହିଁ, ମା’
ଅସୁସ୍ଥତା ସମୟର ସେବା ଶୁଶ୍ରୁଷା
ରାତି ରାତି ଉଜାଗର ରହି ପାଖ ନ ଛାଡ଼ିବା
ତୁହାକୁ ତୁହା ଭଲ ମନ୍ଦ ପଚାରି ବୁଝିବା
ବାତ୍ସଲ୍ୟ ମମତାର ଅନ୍ୟ ନାମ ହିଁ,ମା’
ମନେ ପଡେ ସେଇ ପିଲା ଦିନ, ଶୈଶବ ର କଥା
ବିତି-ଥିବା,ମା ପଣତ ଭିତରେ ରଖି ନିଜ ମଥା
ଖରା-ବର୍ଷା-ଧୂଳି-ଧୂଆଁ ରୁ ରକ୍ଷା ପାଇଁ ମା’ର ପଣତ
ଖାଇ ସାରି ଓଦା ହାତ ପୋଛା ପାଇଁ ମା’ର ପଣତ
ବାପାଙ୍କ କଡା କଥା ଓ ମାଡ଼ ପାଇଁ ମା’ର ପଣତ
ମା ଗାଳି, କାନ ମୋଡ଼ି ଦେଲାପରେ ବି ମା’ପଣତ
ମା ଶବ୍ଦର ଉଚ୍ଚାରଣେ କୁହୁକ ବି ଅଛି
ଭୁଲିହୁଏ ସକଳ ଯାତନା ଓ ଦୁଃଖ
ମା’କହି ନାହିଁ,ମୋତେ ହିଁ ଡାକିବୁ!!
ଦୁଃଖ,ବିପଦ,ଦୁର୍ଘଟଣା ହେଲେ ଓ ଆସିଲେ
ମା’ ଶିଖାଇନି,ମୋତେ ସ୍ମରଣ କରିବୁ
ଯେବେ,ହୃଦୟକୁ ଓ ଆତ୍ମାକୁ କଷ୍ଟ ଭାବ ହେଲେ
ତଥାପି କାହିଁକି କେଜାଣି ହୁଏ ଉଚ୍ଚାରଣ
ଏ ମା’,ମରିଗଲି ଲୋ ମା’, ମା’ଲୋ…
ଆପେ ଆପେ ମା ‘ ଉଚ୍ଚାରଣ ।
ମା’ହିଁ ସାହା,ମା’ହିଁ ଭରଷା,ମା’ ହିଁ ଆଶା
ଏମିତି କେହି ନାହିଁ,ଯେ କହିନାହିଁ ,ମା’
ଇତର ଜୀବ ଜନ୍ତୁ ବି ସେଇ ଉଚ୍ଚାରଣ
ମେଁ,ମିଆଉଁ,ହାମା,ହମ୍ବା ଯାହା, ମା ‘ ଅର୍ଥ ସେଇୟା
ଗାଈ ଗୋଠ ମେଳରେ ବାଛୁରୀ ମା’ ଚିହ୍ନି ଦିଏ!!
ଘ୍ରାଣ ଶକ୍ତିରେ ବି ମା ‘ ର ପରଶ
ବିନା ଶବ୍ଦରେ ,ବିନା ଉଚ୍ଚାରଣରେ ବି ମା’ ଚିହ୍ନିବା!
ସବୁଠାରୁ ପୁରୁଣା ଆଶ୍ଚର୍ଯ୍ୟ ।
ହାତରନ୍ଧା ଖାଦ୍ୟ ସଭିଙ୍କୁ ଖୁଆଇ
ଆଉ ଦେବିକି! କଣ ଦରକାର! ତୁହାଇ ତୁହାଇ
ଘରେ ଖାଉଥିବା ସବୁ ସଦସ୍ୟଙ୍କୁ
ସବୁଠୁ ସାନ ପିଲାକୁ ହାତରେ ଖୁଆଇ
ଶେଷ ପର୍ଯ୍ୟାୟରେ ଖାଦ୍ୟ ଥିଲେ ହିଁ ଖାଇବ
ନ ଥିଲେ ବି ପାଣି ପିଇ,ଖାଦ୍ୟ ଖାଇଲି କହିବ ।
କଥାରେ ବି ଅଛି,ମା’ ନାହିଁ ତ ସାହା ନାହିଁ!!
ଅକ୍ଷରେ ଅକ୍ଷରେ ସତ୍ୟ
ମା ‘ ବିନା ଘର ଖାଲି ଖାଲି, ଅସଜଡା
ମା ‘ ନ ଥାଇ ବଞ୍ଚିବା ର ଅନୁଭୁତି
ମା ‘ ହରେଇ ବଞ୍ଚିଥିବା ପିଲାଙ୍କ ମୁହଁରୁ
ଶୁଣିଲେ ଲୁହରେ ଭିଜି ଯିବ କେବଳ ଆଖି ନୁହେଁ
ହୃଦୟ ବି ଭାସିଯିବ ଲୁହର ସ୍ରୋତରେ ।
ସର୍ଵଂସହା, ଧରିତ୍ରୀ ବି ଆମ ମା ‘
ସବୁ କିଛି ସହୁ ଅଛି ,କିଛି ପ୍ରତିରୋଧ ନାହିଁ
ଫଳ, ଫୁଲ ସହିତ ଖାଦ୍ୟ ଶସ୍ୟ ର ଭଣ୍ଡାର
ନଦୀ ବିଲ ବଣ ପାହାଡ ଝରଣା
ସମୁଦ୍ର ବେଳା ଭୂମିର ଅପୂର୍ବ ସୁଷମା
ତା ‘ ବକ୍ଷରେ ଖେଳ କୁଦ ନାଚ ବି ହେଉଛି
ଶସ୍ୟ ଉତ୍ପାଦନ ପାଇଁ କର୍ଷଣ ଥରେ ନୁହଁ ଅହରହ
ମାଟି ମା ‘ ଆମର ସରଗ ଠୁ ବଳି!
ଜନନୀ ଓ ଜନ୍ମଭୂମି ସ୍ବର୍ଗ ଠାରୁ ବଡ଼
ମା ‘ ନାମର ନାହିଁ ପଟାନ୍ତର
ଚିର-ଋଣୀ ଜନ୍ମ ଜନ୍ମ୍ମାନ୍ତରେ
ନିହାତି ଅପ୍ରିୟ ସତ୍ୟ ଯୁଗ ପରେ ଯୁଗ
ଆକସ୍ମିକ ବିପର୍ଯ୍ୟୟ ,ଦୁର୍ଘଟଣା,ବିପଦ ସୂଚନା
ଦୁଃଖ ଆଉ ଭୋକ ସମୟରେ
କିଛି ଭାବିବା ଆଗରୁ,ଆପେ ଆପେ ମା’ଉଚ୍ଚାରଣ
ଅଝଟ ହେଲେ ମା କହେ ମୋ ଧନ,ମୋ ସୁନା
ସେମିତି ହୁଅନା, ସୁନା ପିଲା ମୋର
ଲୁହ ଧାରେ ତରଳେ ହୃଦୟ
ଦୁଷ୍ଟାମି ର ପରି-ସମାପ୍ତି ହୁଅଇ,ମା ଆଖିର ଲୁହରେ
ସେହି ସୁନା,ଧନ କଥା ଅନ୍ୟର ମୁଖରେ
ପାଏ ନାହିଁ ଶୋଭା,ଯେତେ ବି ଗେହ୍ଲାରେ କହିଲେ
ମା କଥାରେ ଅମୃତ,ମା ପରି ହେବ କିଏ!
ମା’ର ପଣତ ହିଁ ମୋ ଜୀବନ-ମନ୍ଦିର ନେତ…
ହିଆ ମୋ ମାର ଶବ୍ଦ, ପ୍ରତି କଥାରେ ହିଆ
ପ୍ରତି କଥାର ଆରମ୍ଭରେ ଓ ଶେଷରେ
ହିଆ ପଦ ହିଁ ଲାଗୁଥିଲା!!!
ସାହି ପଡିଶା ବି କୌତୁକ ରେ ,ହିଆ ବୁଢୀ ଡାକ
ହିଆ ଶବ୍ଦ ଥିଲା,ଆମ ପରିବାରର ପରିଚୟ
ବେଳେବେଳେ ଖାଲି ହିଆ, ହିଆ
ବୁଝି ଯାଉଥିଲୁ,ମା ର ଖୋଜିବା ଜିନିଷ ମିଳୁନି
ଆମ ପାଇଁ ମା କହିଲେ ହିଆ
ହିଆ କହିଲେ ବି ,ମା
କେବଳ ମା ହିଁ ଡାକୁଥିଲା ଜଟିଆ.. ଜଟିଆ
ଘରର ସାନ ପିଲା ବୋଲି ,ମା’ର ଗେଲ୍ଳା ପିଲା
ମୋର ସବୁ କଥା ଓ କାମ ରେ ମା’ର ନଜର
ଜଟିଆ ଖାଇଲା କି’ ନାହିଁ!
ଜଟିଆ କୁଆଡେ଼ ଗଲା!
ଜଟିଆ କାହିଁକି କାନ୍ଦୁଛି!
କେତେବେଳେ ଜଟିଆ ସ୍କୁଲରୁ ଆସିବ !!
ଜଟିଆ କହିଲା ପରେ ପରେ ହିଆ ହିଆ
କେବଳ ମା’ର ହିଁ ଜଟିଆ ଡାକ
ସେ ଡାକରେ ବୋଳା ଥିଲା , ସ୍ନେହ ଓ ମମତା
ମା ଦେଇ ଥିବା ନାମର ଯଥାର୍ଥତା ଥିଲା
ଡେରି ହେଲେ ବି ଆଜି ଠିକ୍ ବୁଝିଛି
ଜଟିଆ ର ଅର୍ଥ ବି ଖୋଜିଛି
ଇଂରାଜୀରେ କହିଲେ ପ୍ରାୟ ବୁଝି ହେବ!!
ଅର୍ଥାତ୍ କଂପ୍ଲିକେଟେଡ ବା ଜଟିଆ
ଜଟିଆ ର ଆକ୍ଷରିକ ଅର୍ଥ ଡେରିରେ ବୁଝିଲି
ବୋଧେ ମା ଜାଣିଥିଲା ମୋ ହୃଦୟ ସ୍ପନ୍ଦନ
କୁଟିଳ ଜଟିଳ ଏହି ଜଟିଆ ର ମତି ଆଉ ଗତି
ନିଜ ଶୁଭ ଓ ସ୍କୁଲ୍ ନାମର ଗୁରୁତ୍ଵ କମିଛି
ସେ ମା ଡାକ ଜଟିଆ ନାମକୁ ମନରେ ଭାବୁଛି
ଦାଣ୍ଡ ଧୂଳି ପରି ଗାଳି ବି ଦେଇଛି
ଝାଡି ଝୁଡ଼ି ପୁଣି ହାତେ ଖୁଆଇଛି
ବେଶି ଦୁଷ୍ଟ ହେଲେ, କାନ ମୋଡା ମାଡ
ପରେ ପରେ ସ୍ନେହ ବୋଳା କଥା
ମୁଣ୍ଡ ଆଉଁସି ଖୁଆଇବା ସହ,ମିଠା ମିଠା କଥା
ସେମିତି ହୁଅନା ଜଟିଆ !!!
ଭାସି ଭସାଇଛି,ସିଏ ବାତ୍ସଲ୍ୟ ପ୍ରେମରେ
ମା ର ହାତ ତିଆରି ଖାଦ୍ୟ
ଯାହା ବି ରନ୍ଧା ହେଉଥିଲା, ବହୁତ ସ୍ଵାଦିଷ୍ଟ
ଅମୃତ ଠୁ ବଳି,ହାତ ଚାଟେଇ ଖିଆ
ପର୍ବ ପର୍ବାଣୀରେ ପିଠ ପଣା ଖିରି
ଅତିଥି ଆସିଲେ ଅଧିକ ତିଅଣ ଓ ଭଜା
ଭୂଲି ହେଉନାହିଁ ସେ ସମୟ ଖାଇବାର ମଜା
ଅସୁସ୍ଥତା ସମୟର ସେବା ଓ ଶୁଶ୍ରୁଷା
ରାତି ରାତି ଉଜାଗର ରହି ପାଖ ନ ଛାଡ଼ିବା
ତୁହାକୁ ତୁହା ଭଲ ମନ୍ଦ ପଚାରି ବୁଝିବା
ଦିଅଁ ଦେବତା ଙ୍କୁ ମାନସିକ ରଖି
ଗୋଡ ହାତ ଦେହ ମୁଣ୍ଡ ଆଉଁସି ଆଉଁସି
ସୁସ୍ଥ ହେବୁ ରେ ଜଟିଆ,ଠାକୁରଙ୍କୁ ମନାସ ରଖିଛି
ଆଖିରେ ଆଖିଏ ଲୁହ ପୁଣି ଅଖିଆ ଅପିଆ!!!
ଅସରନ୍ତି କଥା ଅଛି ମୋ ମାଆର,!!
ସଂକ୍ଷେପରେ ବି କହିବାକୁ ହେବ
ଜୀବନ ନାଟକରେ ବାଟବଣା କଥା
ମା ବୁଝି ବୁଝାଇ ବି ଥିଲା
ଘର ସଜାଡ଼ିବା ର ସୂତ୍ର କହିଥିଲା
ବାଟ ହୁଡ଼ି ଗଲେ ,ପରିଣାମ ବଡ ଭୟଙ୍କର
କହୁଥିଲା ତୁହାକୁ ତୁହା , ମୁଣ୍ଡକୁ ଆଉଁସି!!!
ଦୂରରେ ଥାଇ ଶୁଣିଲି,ମା ‘ ର ଅନ୍ତିମ ସମୟ
ପହଞ୍ଚିବା ପୂର୍ବରୁ ମା’ ସେ’ ପାରି ର ଯାତ୍ରୀ
ହତଭାଗ୍ୟ ହାୟ!! ହେଲା ନାହିଁ ଅନ୍ତିମ ଦର୍ଶନ
କିଛି ବି କରି ପାରିଲିନି
ମୁଠାଏ ଦାନା ଅବା ମିଠା ଦି’ପଦ !!!
ପାଖେ ବସି କଥା ବି ହେଇନି
ଦୁଃଖ ସହି ଜଟିଆ କୁ ମଣିଷ କରିଛି
ଅନ୍ତିମ ବେଳା ରେ ବି ଜଟିଆ ଖୋଜିଛି
ଜଟିଆ ଖୋଜୁଛି ହିଆ କୁ, ତା ‘ ମା ଓ ହିଆ କୁ
ଜଟିଆ ର ହିଆ – ମା ଆଉ ନାହିଁ
ଯିଏ ଦେଖୁ ଦେଖୁ ଖୁସିରେ କାନ୍ଦୁଥିଲା
ଗୋଡ ହାତ ତଳେ ପଡୁ ନ ଥିଲା
ମୋ ଜଟିଆ ଆସିଛି!
ଖାଇ ପିଇ ଶୋଇବା ପର୍ଯ୍ୟନ୍ତ
ହିଆ- ମା ବସି ପାରୁ ନ ଥିଲା,ଗୋଟିଏ ଜାଗାରେ
ଜଟିଆ ଆଜି ବି ଘର କୁ ଯାଉଛି
ହେଲେ ହିଆ-ମା କୁ ଖୋଜୁଛି
ତା ଦୁଃଖ କହିବାକୁ
ଜଟିଆ ର ଅକଥନୀୟ ଦୁଃଖ
ଏତେ ଦୁଃଖ ଜଟିଆ ର ଦେଖି ଜାଣିବା ଆଗରୁ
ହିଆ-ମା ଆଉ ନାହିଁ..ଜଟିଆ ଆଜି ଏକୁଟିଆ
କେହି ଆଉ ଡାକୁ ନାହାନ୍ତି,ଜଟିଆ..ଜଟିଆ
ଡାକ ଆଉ ଶୁଭୁ ନାହିଁ ହିଆ ଓ ଜଟିଆ
ଉଡି ଯାଇଛି ମା’ର ପଣତ, ଉଡ଼ିଛି ମୋ ନେତ
ସେହି ମା ପଣତ-ନେତ କୁ ହୃଦୟ ରୁ ପ୍ରଣିପାତ ।