ନବଧା ଭକ୍ତି
ମଣିଷ ହୃଦୟେ ଭାବ ଶକ୍ତି ସମ
ଆପେ ହୋଇଲେ ଉତ୍ପତ୍ତି
ଯଦି ସେହି ଭାବେ ଜାଣେ ଈଶ୍ୱରଙ୍କୁ
ସେହି ଭାବ ଅଟେ ଭକ୍ତି ।
ଈଶ୍ୱରଙ୍କ ମନ ଓ ହୃଦୟ ହୁଏ ଯଦି
ସେହି ଭାବେ ଦ୍ରବିଭୂତ
ସେହି ଅଦୃଶ୍ୟ ଭାବ ଶକ୍ତି ସ୍ବରୂପ
ଭକ୍ତି ରୂପରେ ବିଦିତ ।
ନିଜ ପ୍ରାଣ ଠାରୁ ଈଶ୍ୱରଙ୍କୁ ବେଶି
ଭଲ ପାଇବା ହିଁ ଭକ୍ତି
ବହୁତ ହିଁ ଶକ୍ତିଶାଳୀ ଭଗବତ୍
ଶକ୍ତିରୁପୀ ସେହି ଭକ୍ତି ।
କରୁଣାମୟ ଆନନ୍ଦମୟ ବିଭୁ
ଦର୍ଶନ ଭକ୍ତି ବଳରେ
ଭକ୍ତି ହିଁ ସଦା ସର୍ବ ଶ୍ରେଷ୍ଠ ମାଧ୍ୟମ
ସହଜେ ସବୁ ଯୁଗରେ ।
ନଦୀ ପ୍ରବାହିତ ହେଲେ ନିଜେ ଜାଣେ
ନିଜ କାୟା ପରିସୀମା
ଭକ୍ତି ପ୍ରସାରିତ ହେଲେ ଭକ୍ତ ଜାଣେ
ସୁଦୂର ପ୍ରସାରୀ ସୀମା ।
ଈଶ୍ୱରଙ୍କ ପ୍ରତି ଭକ୍ତି ଭାବ ପ୍ରାୟ
ସକଳ ଜୀବ ଜଗତ
ତନ୍ମଧ୍ୟରୁ ମାତ୍ର ଭକ୍ତ ସର୍ବୋପରି
ଶ୍ରେଷ୍ଠ ଭକ୍ତ ରେ ଗଣିତ ।
ଲବଣାକ୍ତ ଯୋଗୁଁ ସମୁଦ୍ରର ଜଳ
ସ୍ୱାଦ ରେ ନାହିଁ ଆନନ୍ଦ
ମୁଖେ ମାତ୍ର ଭକ୍ତି ଭାବ ସେହି ପରି
ବିଭୂଙ୍କୁ ନୁହେଁ ପସନ୍ଦ ।
ଅନ୍ତରର ଶ୍ରଦ୍ଧା ବିହୀନ ଭକତି
ଲବଣ ଜଳ ସମାନ
ଲୋକ ଦେଖାଣିଆ ଭକ୍ତି ସେହିପରି
ବିଭୂଙ୍କୁ ନୁହେଁ ଗ୍ରହଣ ।
ସଂସାର ରୂପକ ସାଗର ଢେ଼ଉରେ
ମୀନ ରୂପୀ ଏ ଶରୀର
ଜଞ୍ଜାଳ ରୂପକ ଜାଲ ବିଛାଇଛି
କାଳ ରୂପକ ଧୀବର ।
ମୃତ୍ୟୁ ରୂପକ ଧୀବର ଧରିବ ବଳେ
ମୃତ୍ୟୁ ଚିରନ୍ତନ ସତ୍ୟ
ମୁକ୍ତିର ଉପାୟ ଭକ୍ତି ବିଭୁ ପ୍ରତି
ଅଛି ଏକ ମାତ୍ର ପଥ ।
ପ୍ରଭୁଙ୍କ ପୟରେ ନିବେଦନ ପ୍ରାୟ
କେବେ ହୁଏ ନାହିଁ ବ୍ୟର୍ଥ
ନିଷ୍ଠାର ସହ ନାମ ଭଜନରେ
ଭକ୍ତି ବୃଦ୍ଧି ରେ ଯଥାର୍ଥ ।
ଛାଇ ପରି ବ୍ୟାପ୍ତ ସଦା ସଂସାରରେ
ସ୍ଵୟଂ ପ୍ରଭୁ ନାରାୟଣ
ନିର୍ମଳ ନ ଥିଲେ ମନ ଓ ହୃଦୟ
ଅସମ୍ଭବ ଦରଶନ ।
ଜୀବନ ଯାତ୍ରାରେ ସବୁ ଦୁଃଖ ଠାରୁ
ଅନ୍ତ କାଳ ଦୁଃଖ ଅତି
ବିଭୁ ପଦେ ହୃଦ ଥିଲେ ସମର୍ପଣ
ଆପେ ଲଭିବ ମୁକତି ।
ଏକନିଷ୍ଠ ଭକ୍ତି ବଳେ ସହଜରେ
ବନ୍ଧା ସ୍ଵୟଂ ଭଗବାନ
ଭାବଗ୍ରାହୀ ପ୍ରଭୁ ଭକ୍ତର ପଛରେ
ଆପେ କରନ୍ତି ଧାବନ ।
ଶ୍ରବଣ,କୀର୍ତ୍ତନ,ସ୍ମରଣ,ପୂଜନ
ବନ୍ଦନ, ପାଦ ସେବନ
ଦାସ୍ୟ, ସଖ୍ୟ ପୁଣି ଆତ୍ମ ନିବେଦନ
ନବଧା ଭକ୍ତି ରୂପେଣ ।
ଉଦାହରଣ ରେ ନବଧା ଭକ୍ତିର
ପୁରାଣ ବର୍ଣ୍ଣିତ ଚିତ୍ର
ଶ୍ରବଣ ଭକ୍ତିରେ ନିଜେ ଶୁକ ମୁନି
ବିଭୁ କୃପା ହେଲେ ପ୍ରାପ୍ତ ।
କୀର୍ତ୍ତନ ରେ ଲିପ୍ତ ରହି ଶ୍ରୀଚୈତନ୍ୟ
କୀର୍ତ୍ତନ ରେ ଆତଯାତ
ଶୟନେ ସପନେ କୀର୍ତ୍ତନ ସହିତ
ମନ ପ୍ରାଣ ବି ସଂଯୁକ୍ତ ।
ଜୀବ ଯିବା ବେଳେ ଅଜାମ୍ବିଳ ପାପୀ
ବ୍ୟାଧ କବଳେ ମୃଗୁଣୀ
ସ୍ମରଣ କରିଲେ ପ୍ରଭୁଙ୍କର ନାମ
ମୁକ୍ତି ଲଭିଲେ ସେକ୍ଷଣି ।
କୁଟୀର ରେ ରାମ ପାଦ ପଡୁ ଚିନ୍ତି
ଥିଲା ଶବରୀ ହୃଦରେ
ପ୍ରଭୁ ଅନ୍ତର୍ଯ୍ୟାମୀ ପାଦ ସେବା ପାଇଁ
ଉଭା କୁଟୀର ଦୁଆରେ ।
ଅସୁନ୍ଦରୀ କୁବ୍ଜା ପୂଜା ଅର୍ଚ୍ଚନା ରେ
ଦିନ ରାତି ଥିଲା ମଗ୍ନ
ପ୍ରଭୁ କୃପା ପ୍ରାପ୍ତି ବଳରେ ସୌନ୍ଦର୍ଯ୍ୟ
ବୃଦ୍ଧିର ହେଲା କାରଣ ।
ପ୍ରଭୁଙ୍କ ବନ୍ଦନା କରି ପ୍ରହଲ୍ଲାଦ
ପ୍ରଭୁ ନାମରେ ଜଡିତ
ସର୍ବ ବ୍ୟାପି ବୋଲି ସ୍ତମ୍ବୁକୁ ଦେଖାଇ
ପ୍ରଭୁ ବି ହେଲେ ସମ୍ଭୂତ ।
ଦାସ୍ୟ ଭାବ କଥା ହନୁମାନ ସହ
ରାମାୟଣର ବୃତ୍ତାନ୍ତ
ଯୁଗ ଯୁଗ ପାଇଁ ଶ୍ରେଷ୍ଠ ଭକ୍ତ ଆଖ୍ୟା
ପ୍ରଭୁ ଦାସ୍ୟ ପ୍ରତି ପ୍ରୀତ ।
ସଖା ପରିଚୟ ଅର୍ଜୁନଙ୍କ ନାମେ
ସୁଦାମା ତ ବନ୍ଧୁ ଭାବେ
ଜଣେ ବିଶ୍ଵ ରୂପ ଅନ୍ୟର ବୈଭବ
ସେ ଭାବ ଅକ୍ଷୁର୍ଣ୍ଣ ଭବେ ।
ଆତ୍ମ ନିବେଦନ କଲେ ଗୋପାଙ୍ଗନା
ମୀରା ବାଇ ସେହି ପରି
ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ରହିଅଛି
ମୀରା ବାଇ ଗୋପ ନାରୀ ।
ଆଭିଜାତ୍ୟ,ଶିକ୍ଷା, ପଦ ଓ ଐଶ୍ୱର୍ଯ୍ୟ
ଅଥବା ଅଗାଧ ଜ୍ଞାନ
ଭକ୍ତି ଅର୍ଥେ ଅବା ବିଭୁ ପ୍ରୀତି ଅର୍ଥେ
କିଛି ନୁହେଁ ପ୍ରୟୋଜନ ।
ଅଜ୍ଞାତ ରେ ବେଲ ପତ୍ର ଢାଳି ବ୍ୟାଧ
ଅଜ୍ଞାନୀ ବାଳୁତ ଧ୍ରୁବ
ଅଛୁଆଁ ବିଦୁର,ରାଜା ଉଗ୍ରସେନ
ପାଇଛନ୍ତି ପ୍ରଭୁ ଭାବ ।
ଅସୁନ୍ଦରୀ କୁବ୍ଜା , ଦରିଦ୍ର ସୁଦାମା
ପ୍ରହଲ୍ଲାଦ ସାଲବେଗ
ଦାସିଆ ବାଉରୀ ବଳରାମ ଦାସ
ହୃଦେ ଭକ୍ତିର ଆବେଗ ।
କ୍ଷୁଧାର୍ତ୍ତ ବନ୍ଧୁ ମହାନ୍ତି ର ପ୍ରାର୍ଥନା
ଦ୍ରୌପଦୀର ରକ୍ଷା ଡାକ
କାଞ୍ଚି ଅଭିଯାନ ଭକ୍ତ ରକ୍ଷା ଅର୍ଥେ
ଭକ୍ତି ବଳେ ହିଁ ସାର୍ଥକ ।
ଭକ୍ତର ପ୍ରକାର ଭେଦରେ ପାର୍ଥକ୍ୟ
ପ୍ରାୟତଃ ପରିଲକ୍ଷିତ
ଜିଜ୍ଞାସୁ ଜ୍ଞାନୀ ଆର୍ତ୍ତି ପୁଣି ଅର୍ଥାର୍ଥୀ
ଭକ୍ତି କିନ୍ତୁ ମୂଳ ତତ୍ତ୍ୱ ।
ଭକ୍ତି କୁ ଏକ ଦେବୀ ଦର୍ଶାଯାଇ
ପୁରାଣ କରିଛି ବ୍ୟକ୍ତ
ଜ୍ଞାନ ଓ ବୈରାଗ୍ୟ ଭକ୍ତି ଦେବୀ ପୁତ୍ର
କଳି କାଳେ ପରିତ୍ୟକ୍ତ ।
କେବଳ ନବଧା ଭକ୍ତି ହିଁ କଳିରେ
ଏକ ମାତ୍ର ମୁକ୍ତି ପନ୍ଥା
ଭକ୍ତି ଭାବ ସହ ସ୍ମରଣରେ ରହୁ
ନବଧା ଭକ୍ତିର କଥା ।