Sahityapedia
Sign in
Home
Your Posts
QuoteWriter
Account
2 May 2024 · 1 min read

ଅନୁଶାସନ

ଈଶ୍ୱରଙ୍କ ଅନୁଶାସିତ ଧାରାରେ
ଋତୁ ବି ପରିବର୍ତ୍ତନ
ଶ୍ରେଷ୍ଠ ଜୀବ ରୂପେ ମଣିଷଙ୍କ ପକ୍ଷେ
ବିଧେୟ ଅନୁଶାସନ
ଅନୁଶାସନ ର ଧାରା ପାଳନରେ
ଗ୍ରହ ପୁଣି ଉପଗ୍ରହ
ସୂର୍ଯ୍ୟ ଚନ୍ଦ୍ର ତାରା ଜଡ଼ ଓ ଚେତନ
ଅନୁଶାସନ ର ସହ
ସୂର୍ଯ୍ୟଙ୍କ ଉଦୟ ଠିକ୍ ସମୟରେ
ଯଦି ନ ହୁଏ ସମ୍ଭବ
ଧରା ରୁ ଅନ୍ଧାର କିପରି ହଟିବ
ଅବା ଆଲୋକିତ ହେବ!!

ସାମାଜିକ ପ୍ରାଣୀ ମନୁଷ୍ୟ ପକ୍ଷରେ
ନୀତି ନିୟମ ପାଳନ
ଆଦର୍ଶ ଜୀବନ ଯାପନ ନିମନ୍ତେ
ଅନୁଶାସନ ବିଧାନ
ଜୀବନରେ ସଫଳତା ଓ ବିକାଶ
ଆପେ ହୋଇବ ସାଧନ
ଯଦି ପ୍ରଥମ ରୁ ପଦକ୍ଷେପ ରୂପେ
ଅନୁଶାସନ ଗ୍ରହଣ

କ୍ଷୁଦ୍ର ଜୀବ ଭାବେ ପିମ୍ପୁଡ଼ି ରହୁଛି
ଅନୁଶାସନ ଭିତରେ
ଧାଡ଼ି ବାନ୍ଧି ମିଳିମିଶି ବସବାସ
ଦଳବାନ୍ଧି ଏକତ୍ରରେ
ଝଗଡ଼ା ଲଢେ଼ଇ ମାନ ଅଭିମାନ
ମନରେ ନାହିଁ ଭାବନା
ହସ ଖୁସି ସହ ଜୀବନ ଯାତ୍ରାରେ
ପ୍ରାୟ ସଦା ଖୁସି ମନା

ଅନୁଶାସନ ବିନା ବିଶୃଙ୍ଖଳିତ
ଜୀବନ ଯାତ୍ରା ସୋପାନ
ଜ୍ଞାନ ଉପଦେଶ ନିୟମ ପାଳନେ
ଅବଶ୍ୟ ଜୀବନ ଧନ୍ୟ
ଗୁରୁଜନ ତଥା ଗୁରୁଙ୍କ ବିଷୟେ
ଅଭିଯୋଗ ମୂଲ୍ୟହୀନ
ସେମାନଙ୍କ ବଳିଦାନ ଓ ସମ୍ମାନ
ହୃଦୟେ ହେଉ ଗ୍ରହଣ

ଛନ୍ଦହୀନ ପ୍ରାୟ ସୁନ୍ଦର ଜୀବନ
ଅନୁଶାସନ ବିହୁନେ
ଜୀବନରେ ଦୁଃଖ ଅଶାନ୍ତି ରାଜୁତି
ନିୟମର ଉଲ୍ଲଂଘନେ
କୋମଳ ମତି ଶିଶୁଙ୍କ ଭବିଷ୍ୟତ
ନିର୍ମାଣେ ଅନୁଶାସନ
ପିତାମାତାଙ୍କର ସଚେତନ ବଳେ
ଶୃଙ୍ଖଳିତ ବି ଜୀବନ

ଆତ୍ମ ମନ୍ଥନ ସହ ଅନୁଶାସନ
ମୁଖରେ ମାତ୍ର କଥିତ
ଶାସନ ପ୍ରଶାସନ ଓ ଆଶ୍ୱାସନ
ରହିଛି ନାମକୁ ମାତ୍ର
ସିଂହାସନ ସହ ପଦାସୀନ ଲୋଭ
ପ୍ରାୟ ମିଥ୍ୟା ପ୍ରହସନ
କଳୁଷିତ ଏଇ ସମାଜେ ରାଜୁତି
ଦୁର୍ଯ୍ୟୋଧନ ଦୁଃଶାସନ
ଭ୍ରଷ୍ଟାଚାରୀ ଦୁରାଚାରୀ ଶକୁନି ର
ହେଉ ନାହିଁ ନିଷ୍କାସନ
ନିତିବାଦୀ ଅର୍ଥନୈତିକ ବିଦୁର
ଭୋଗୁଛନ୍ତି ଅପମାନ
ଲୋକ-ତାନ୍ତ୍ରିକ ଶାସନରେ ଯଦି
ଅଭାବ ଅନୁଶାସନ
ମିଳିବ କି ସାଧାରଣ ଜନତାଙ୍କୁ
ନିର୍ମଳ ଓ ସୁଶାସନ!!

ପ୍ରତ୍ୟେକ କ୍ଷେତ୍ରରେ ଅନୁଶାସନ ର
ଆବଶ୍ୟକତା ବିଧେୟ
ଅନୁଶାସନ ର ପାଥେୟ ସହିତ
ଜୀବନରେ ହେଉ ଜୟ ।।

Loading...